ଢେଙ୍କାନାଳ ସଦର ବ୍ଲକ୍ର ପୋଲିସ୍ ଲାଇନ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ କାଠଗଡ଼ା ଆଶ୍ରମ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବରେ କ୍ଲଷ୍ଟର ଅଧୀନରେ ଥିବା ୧୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ୩୧ଟି ବିଭାଗରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶତାୟୁ ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ୧୦ଟି ବ୍ୟକ୍ତିଗତ ପ୍ରତିଯୋଗିତା ବିଭାଗ ସହ ଦଳଗତ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଛନ୍ତି। ଏହି ସଫଳତା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତା, ସୃଜନଶୀଳତା ଓ ଅଧ୍ୟବସାୟକୁ ପ୍ରତିଫଳିତ କରିଛି।
କାର୍ଯ୍ୟକ୍ରମଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରକାଶ ପ୍ରଧାନଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା। ସିଆରସିସି ମୃଣ୍ମୟୀ ରାଉତ ଓ ପୂର୍ବତନ ସିଆରସିସି ଝସକେତନ ପ୍ରଧାନଙ୍କ ସହଯୋଗରେ ମହୋତ୍ସବର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସାୟନ କୁମାର ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଶିଶୁ ମହୋତ୍ସବ ସୁରଭି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ସୁଯୋଗ ପ୍ରଦାନ କରିଛି। ଏଭଳି ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି କରିବାରେ ସହାୟକ ହେଉଛି।

